ଅଣାକାର ଓଲଟ ଚଉତିଶା

 

 

 

 

 

 

 

 

 

ଅଣାକାର ଓଲଟ ଚଉତିଶା

ଡକ୍ଟର ସୁରେନ୍ଦ୍ରନାଥ ପାଣିଗ୍ରାହୀ

 

(କବି ସୁଦର୍ଶନଙ୍କ ‘ଅଲେଖ ଚଉତିଶା’ ପୂର୍ବରୁ ଆଲୋଚିତ ହୋଇଛି । ଏ ଚଉତିଶାରେ ନାମର ମାହାତ୍ମ୍ୟ, ଅଲେଖ ବ୍ରଦ୍ମର ମହିମା ବର୍ଣ୍ଣିତ । ଓଲଟ ଚଉତିଶାର ଲକ୍ଷଣ ସଂପର୍କରେ ପୂର୍ବରୁ ‘ଚଉତିଶାର ସ୍ୱରୂପ’ରେ ଆଲୋଚନା କରାଯାଇଛି । ଆକାରରେ କ୍ଷୁଦ୍ର ଅଥଚ ସରଳ, ସାବଲୀଳ । ଏହା ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ।)

କ୍ଷମାନିଧି ତାକୁ ଦୟା କରନ୍ତି

ହୃଦପଦ୍ମେ ତାର ନଥାଇ ଭୀତି ।ପଦ।

ଶୂରଗଣେ ତାକୁ ଦେଖିଲେ ଡରି

ସାରସ୍ୱତ ବ୍ରହ୍ମ ତା’ ଠାରେ ପୂରି

ମନ ହୋ, ଶୂନ୍ୟ ଅଟେ ସ୍ୱରୂପ

ବଟ ମୂଳେ ଲୀଳା ଅରୂପ ରୂପ ।୧।

ଲାଗିଅଛି ହାଟ ସେ ବ୍ରହ୍ମପୁରି

ରାମକୃଷ୍ଣ ତହିଁ ହେଲେ ଦୁଆରି

ଜଗନ୍ନାଥ ଶିବ ଯେତେକ ଦେବ

ମହିମାଙ୍କ ଆଜ୍ଞା ତଳରେ ଥିବ

ମନ ହୋ, ଭଜ ଅଲେଖ ବ୍ରହ୍ମ

ବୀର ବଧୂ ବାନା ଉଡ଼େ ସେ ସ୍ଥାନ ।୨।

ଫନ୍ଦା କରି ତହିଁ ଶ୍ରୀଗୁରୁ ନାମ

ପରମପୁରୁଷେ ମାଗ ଶରଣ

ନରଖିବେ ଯେବେ ସେ ପ୍ରଭୁ ତୋତେ

ଧରି ବାନ୍ଧିନେବେ ଯମର ଦୂରେ

ମନ ହୋ, ଦୃଢ଼େ କର ଦର୍ଶନ

ଥୟ କରି ଭଜ ଶ୍ରୀଗୁରୁ ନାମ ।୩।

ଭାବାର୍ଥ- (୧-୩) ଯିଏ ପରଂବ୍ରହ୍ମଙ୍କ ପାଦତଳେ ନିଜକୁ ସମର୍ପି ଦେଇଥାଏ, ତାଙ୍କୁ ଆଶ୍ରା କରିଥାଏ ତାକୁ ପ୍ରଭୁ କ୍ଷମାନିଧି ଦୟା କରନ୍ତି । ପ୍ରଭୁଙ୍କ ପଦ୍ମପାଦକୁ ଯିଏ ଆଶ୍ରା କରିବ, ତା’ର କୌଣସି ଭୟଭ୍ରାନ୍ତି ରହିବ ନାହିଁ । ତାଙ୍କ ଠାରେ ସ୍ୱାରସ୍ୱତ ବ୍ରହ୍ମ ପୂରି ରହିଛି । ତାଙ୍କୁ ଦେଖିଲେ ବୀରଶୂରଗଣ ଡରିଯିବେ । ମନ ହୋ, ଶୂନ୍ୟ ହିଁ ସ୍ୱରୂପ । କଳ୍ପବଟ ମୂଳେ ଅପୂର୍ବ ଲୀଳା ଚାଲିଛି । ଅରୂପ ରୂପ ସେ, ସେଠାରେ ବିଦ୍ୟମାନ । ସେଇ ବ୍ରହ୍ମପୁରିରେ ହାଟ ଲାଗିଛି । ସେଠାରେ ସମସ୍ତେ ରୁଣ୍ଡ ହୋଇଛନ୍ତି । ରାମକୃଷ୍ଣ ସେଇଠି ଦୁଆରି ହୋଇଛନ୍ତି । ଜଗନ୍ନାଥ, ଶିବ ପ୍ରଭୃତି ଯେତେ ଦେବତା ରହିଛନ୍ତି, ମହିମାଙ୍କ ଆଜ୍ଞା ମାନୁଛନ୍ତି । ମନ ହୋ, ଅଲେଖ ବ୍ରହ୍ମଙ୍କୁ ଧ୍ୟାନ କର । ସେ ସ୍ଥାନରେ ବ୍ରହ୍ମଙ୍କ ମହିମାବାନା ଉଡ଼ୁଛି ।

ରେ ମନ, ଶ୍ରୀଗୁରୁଙ୍କ ନାମ ସର୍ବଦା ଧ୍ୟାନ କର । ପରମପୁରୁଷଙ୍କ ପାଖରେ ଶରଣ ପଶ-। ଯଦି ପ୍ରଭୁ ସହାୟ ହେବେ ନାହିଁ, ତେବେ ତୋତେ ଯମଦୂତ ଗଣ ବାନ୍ଧିନେବେ । ମନ ହୋ, ଦୃଢ଼ ମନରେ ତାଙ୍କୁ ଦର୍ଶନ କର । ମନକୁ ଥୟ କରି ଶ୍ରୀଗୁରୁଙ୍କ ନାମକୁ ଭଜନ କର ।

ତିଳାର୍ଦ୍ଧେ ମାୟାରେ ନପଡ଼ ଭୁଲି

ଅଣାକାର ରୂପ ଅରୂପ ବୋଲି

ଢାଳେ ହେଁ ନାମକୁ ତୁ କର ଫନ୍ଦା

ଡୋଳା ଦୁଇ ପରେ ସକଳ ଧନ୍ଦା

ମନ ହୋ, ଠିକ୍ କରିଣ ହେଜ

ଟିକକ କଥାକୁ ଚିତ୍ତରେ ଖୋଜ ।୪।

ନିସ୍ତରିବୁ ଯେବେ ଭବସାଗରୁ

ଝାଡ଼ର ଭିତରୁ କିପାଁଇ ଫେରୁ

ଯେଉଁ ନାମ ଜପ କରନ୍ତି ମୁନି

ଛନକା ନ ହୋଇ ଦେଖ ତୁ ଧୁନି

ମନ ହୋ, ଚନ୍ଦ୍ର ସୂର୍ଯ୍ୟ (ତହିଁ) ବନ୍ଦୀ

ଓଁ କାରୁ ଶବଦ ଆସୁଛି ଭେଦି ।୫।

ଘଟରେ ତୋହର ପୂରିଅଛନ୍ତି

ଗୁରୁଙ୍କୁ ସୁମର ନକର ଭୀତି

ଖିଳ ସଂସାରରୁ ନେବେ ତାରିଣ

କୀର୍ତ୍ତି ରହିଥିବ କାଳେ ଯୁଗେଣ

ମନ ହୋ, କାଳଦଣ୍ଡ ନୋହିବ

କହେ ସୁଦର୍ଶନ ଶରଣ ଥିବ ।୬।

ଭାବର୍ଥ- (୪-୬) ରେ ମନ, ତିଳେ ହେଲେ ମାୟାରେ ପଡ଼ି ପ୍ରଭୁଙ୍କୁ ଭୁଲି ନ ଯାଅ । ସେ ଅଣାକାର ଅରୂପ ବୋଲି ହେଳା କର ନାହିଁ । ନାମର ମାହାତ୍ମ୍ୟ ଅପୂର୍ବ । ତାକୁ ହୃଦୟ ମଧ୍ୟରେ ବାନ୍ଧି ରଖ । ମନ ହୋ, ଠିକ୍‍ ଭାବରେ ହେଜ, ଦୁଇ ଚକ୍ଷୁକୁ ଏକାକାର କରି ବ୍ରହ୍ମଙ୍କୁ ଦେଖ । ତାଙ୍କ ମହିମା କଥାକୁ ମନ ମଧ୍ୟରେ ଖୋଜ । ରେ ମନ, ଭବସାଗରରୁ ଯଦି ପାର ହେବା ପାଇଁ ଚାହୁଁଛୁ, ବଣ ମଧ୍ୟରୁ କାହିଁକି ଫେରି ଆସୁଛୁ ? ଯେଉଁ ନାମକୁ ମୁନିମାନେ ଜପ କରନ୍ତି, ତୁ ସେଥିରେ ମନ ଦେ । ଛନକା ନ ହୋଇ ତୁ ଧୂନି ଦେଖ । ମନ ହୋ, ଚନ୍ଦ୍ର ସୂର୍ଯ୍ୟ ସେହି ନାମ ମଧ୍ୟରେ ବନ୍ଦୀ ଅଛନ୍ତି-। ଓଁକାର ନାଦ ମଧ୍ୟରୁ ଶଦ୍ଦ ସବୁ ଭେଦ କରି ଆସୁଛି । ସକଳ ଘଟରେ ପ୍ରଭୁ ପରମେଶ୍ୱର ବିଦ୍ୟମାନ । ତୋର ଘଟରେ ବି ସେ ରହିଛନ୍ତି । ଗୁରୁଙ୍କୁ ସୁମରଣା କର । ମନ ମଧ୍ୟରୁ ସମସ୍ତ ଭୟଭ୍ରାନ୍ତି ଦୂର ହୋଇଯିବ । ଏ ପାପ ସଂସାରରୁ ସେ ତାରିବେ । କାଳକାଳ ଯୁଗଯୁଗ ଧରି ପ୍ରଭୁଙ୍କ କୀର୍ତ୍ତି ରହିବ । ଯମଦଣ୍ଡ ତୋତେ ରହିବ ନାହିଁ । ପ୍ରଭୁଙ୍କ ପାଖରେ ସୁଦର୍ଶନ ଶରଣ ପଶୁଛି ।

Image